Categories
Journal Poetry

ମୋ ପ୍ରିୟ ଗାଆଁ

Volume.1 – Issue.10 – October 2025
Author – Benudhar Sutar
Address – Keshadurapal, Keonjhar, Odisha
Phone No. – 9178568246

ଏଇ ମୋର ପ୍ରିୟ ଗାଆଁ ଲୋ ମିତଣୀ
ଏଇ ମୋର ପ୍ରିୟ ଗାଆଁ
ସକାଳ ସଞ୍ଜରେ ବକୁଳ କୁଞ୍ଜରେ
କୋକିଳ ଗାଏ ଯା ନାଆଁ
ଉଷା ଗୋଧୂଳିର ଭାନୁମତୀ ମାୟା
ସୁନାର ଚମକ ଛୁଆଁ ।।

ଦୂର ବନାନୀର ଶିଖରୀ ଫାଙ୍କରୁ
ମୋ ଗାଆଁ ଅଳପ ଦିଶେ
ତୋଟାମାଳ ଭରା ସୁଷମା ପସରା
ବଉଳ ବଉଳ ବାସେ
ତାଳ ତମାଳର କୁଞ୍ଜରୁ ବହଇ
ଚୋରା ଚଇତାଳି ବାଆ ।।

ଆହାକି ମଧୁର ବିହଙ୍ଗମ ସୁର
କୁହୁକ ବୀଣାର ଛନ୍ଦ
ଚାରୁ ଚମତ୍କାର କୁସୁମ ସମ୍ଭାର
ରୂପେ ଝରେ ମକରନ୍ଦ
ଜୀବନ ଛନ୍ଦର ସପନ ଫାଙ୍କରେ
ରଙ୍ଗ ଭରେ ନୂଆ ନୁଆ ।।

ମୋହରି ଗାଆଁର ତଟିନୀ ତୁଠରେ
ସନ୍ଧ୍ୟାରାଣୀ ରଙ୍ଗ ମାଖେ
କାଚକେନ୍ଦୁ ଜଳେ ଚାରୁ ଆନନକୁ
ଜହ୍ନ ଜୋଛନାରେ ଦେଖେ
ସେଇ ନଈଧାରେ କାହା ପ୍ରତୀକ୍ଷାରେ
ନାଉରୀ ମେଲିଛି ନାଆ ।।

ଗ୍ରାମ ଉପବନେ ଫୁଟଇ ଯତନେ
କାମିନୀ କନକ ଚମ୍ପା
ରୂପ ମାଧୁର୍ଯ୍ୟର ଲଳିତ ଶୃଙ୍ଗାର
କୁରେଇଁ ଫୁଲର ଝୁମ୍ପା
ପ୍ରଣୟୀ ପାଇଁକି ପ୍ରୀତି ମଧୁଛୁଆଁ
ବିରହୀ ପ୍ରାଣକୁ ନିଆଁ ।।

ମୋ ଗାଆଁ ସରସୀ ନୀଳ ଜଳରାଶି
କୁମୁଦ କମଳ ମେଳା
ଭାନୁ ନିଶାକର ପ୍ରୀତି ଚିତ୍ତ ଚୋର
ପ୍ରଣୟର ମଧୁଶାଳା
କାଶତଣ୍ଡି ଗଣ୍ଡେ ହସର ଚମକ
ରୂପର ରେଶମୀ ଛୁଆଁ ।।

ଦୂର ଚକ୍ରବାଳ ଭସାମେଘ ମାଳ
ଗଗନ ବିତାନ ତଳେ
ଶ୍ୟାମଳ କ୍ଷେତର ଶୋଭା ମନୋହର
ଶିଶିର ମୋତିର ମାଳେ
ଶୁଭ୍ର ଶାରଦୀୟ ପାର୍ବଣ ପ୍ରୀତିରେ
ପୁଲକି ଉଠଇ ହିଆ ।।

ମହମହ ବାସେ ମୋ ଗାଆଁ ମନ୍ଦିର
ଯେତେ ଦେବାଦେବୀ ପୀଠ
ସୁନ୍ଦର ଦିଶଇ ଦୂର ତାଳବନୁ
ଫେରନ୍ତା ଗାଈର ଗୋଠ
ବଧୂ ମଧୁମତୀ ଜାଳି ସଞ୍ଜବତୀ
ଭକ୍ତି ଅର୍ଘ୍ୟେ ପୂଜେ ମାଆ ।।

ଗ୍ରାମ ପଥଧାରେ ଫୁଲର ଶଯ୍ୟାରେ
ମିଠା ସପନର ଯାଦୁ
ହସଫୁଲ ଡାଲା ମମତା ପିଆଲା
ରୂପ କଳସୀର ମଧୁ
ଝୂମି ଝୁମି ଗାଏ ମାଟିର କବିତା
ଦୂରରୁ ନିରେଖି ଚାହାଁ ।।

ରୂପ ବୈଭବର ସୈାନ୍ଦର୍ଯ୍ୟ ସମ୍ଭାର
ପ୍ରକୃତିର ଅନୁଦାନ
ପବିତ୍ର ମାଟିର ମିଠା ଅନୁରାଗେ
ଜୀବନର ଅଭିଯାନ
ମମତା ପଣତ ପାବନ ଅମୃତ
ମାଆ ସୁଖେ ଦୁଃଖେ ସାହା ।।

ମୋ ଗାଆଁର ଦିବ୍ୟ ଦୁର୍ଲଭ ଅଙ୍ଗରେ
ସପନ ଫୁଲର ବାସ
ବକ୍ଷୁ ଝରେ ସୁଧା ମୁଖୁ ଝରେ ସଦା
କନକ ଚମ୍ପାର ସହ
ମାଆର ଚରଣେ ଭକ୍ତି ଅର୍ଘ୍ୟ ଢାଳି
ବନ୍ଦନା ଗାଇବା ଆ..ଆ..
ଏଇ ମୋର ପ୍ରିୟ ଗାଆଁ ଲୋ ମିତଣୀ
ଏଇ ମୋର ପ୍ରିୟ ଗାଆଁ ।।

Share with friends: