Categories
Journal Poetry

କର୍ମଫଳ

Volume.IX – Issue.X – October 2025
Author – Er. Dipti Ranjan Panda
Address – Shreekshetra Vihar, Aiginia, Bhubaneswar
Contact – 9437081333

ଜନ୍ମ ମଣିଷର ନୁହେଁ ପରିଚୟ
ପରିଚୟ ତାର କର୍ମ
ମହାଭାରତରେ ଠିକ୍ ସେହି କଥା
ଦିନେ କହିଥିଲେ କର୍ଣ୍ଣ ।

ଗୀତାରେ ଶ୍ରୀକୃଷ୍ଣ କହିଥିଲେ ମୁହିଁ
କାର ଭାଗ୍ୟ ଗଢେ ନାହିଁ
ନିଜେ ନିଜ ଭାଗ୍ୟ ଗଢଇ ମଣିଷ
ଏହା ଅନ୍ୟଥା ନୁହଁଇ ।

ଯିଏ ଆଜି ଯାହା କରମ କରୁଛି
କାଲି ପାଇବ ତା ଫଳ
ଆଜି ଯା ପାଉଛି ତାହାବି ହେଉଛି
ପୂରୁବ କରମ ଫଳ ।

ଖାଲି ହାତେ ଆସେ ଖାଲି ହାତେ ଯାଏ
ଏହି ସଂସାରେ ମଣିଷ
ଏହା ସତ ନୁହେଁ ଭାଗ୍ୟ ସାଥେ ଧରି
ସଂସାରେ ଆସଇ ଲୋକ ।

ଖେଳ ସରିଗଲେ ଫେରିବା ଵେଳକୁ
ସାଥେ ନିଏ କର୍ମଫଳ
ମିଛ ସଂସାରରେ ଆମ୍ଭେମାନେ କାହିଁ
ଏମିତି ହେଉଛେ ଭୋଳ?

ପ୍ରତ୍ୟେକ କର୍ମର ଫଳକୁ ଅବଶ୍ୟ
ମଣିଷ ଦିନେ ଲଭିବ
ହୁଏତ ସେଫଳ ଆଜି ମିଳିପାରେ
ବା ଭବିଷ୍ୟତେ ମିଳିବ ।

Share with friends: