Volume.1 – Issue.10 – October 2025
Author – Banamali Namadeo
Address – Kuchinda, Sambalpur, Odisha
ମୁଁ ଜାଣେ ଲୋ ତୋତେ ଶାରୀ
ଭଲ ଲାଗୁ ନଥିବ ଏଇ ପଞ୍ଜୁରୀ
ଆଣିଛି କେ ତୋତେ ଧରି
ନିଜ ଖୁସି ଆଉ ଆନନ୍ଦ ପାଇଁ ସେ
ରଖିଛି ଶୃଙ୍ଖଳ ଘେରି
ମୁଁ ଜାଣେ ଲୋ…. ।
ଜୀବନ ତୋହର ପଞ୍ଜୁରୀ ଘେରା
କାହାକୁ କହିବୁ ଦୁଃଖ ପସରା
ପାଷାଣ ହୃଦୟ ରହିଛି ଭରି
କର୍ଣ୍ଣ ବଧିର ସବୁରି
ମୁଁ ଜାଣେ ଲୋ…. ।
ସ୍ୱାଧୀନ ଜୀବନ ନାହିଁ ତୋହର
ସମାଜ ବନ୍ଧନ ତୋହରି ଡୋର
ପ୍ରାଣପକ୍ଷୀ ପଛେ ଯାଉ ଗୁମୁରି
ନିଶଃବ୍ଦେ ରହ ଆଦରି
ମୁଁ ଜାଣେ ଲୋ…. ।
ବନ୍ଧନେ ବଞ୍ଚିବା ଯଜ୍ଞ ସମାନ
ସୁଖ ମୋହ ସବୁ କରି ଦମନ
ଜଳିବାକୁ ହୁଏ ଅନଳ ପରି
ଆଣିଛୁ ଲେଖନୀ କରି
ମୁଁ ଜାଣେ ଲୋ…. ।
ଯେତେଦିନ ଦାନା ପଞ୍ଜୁରୀ ଘରେ
ଗୁହାରୀ କର ତୁ ପ୍ରଭୁ ପୟରେ
ଆଉ ନ ମିଳୁ ଏ ବାଡ ପ୍ରହରୀ
ମୋକ୍ଷ ମିଳୁ ଯାଆ ତରି
ମୁଁ ଜାଣେ ଲୋ ଶାରୀ…. ।
